୧୨
୧ ଇଫ୍ରୟିମ ବାୟୁ ଭୋଜନ କରେ
ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ;
ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ
ଓ ସେମାନେ ଅଶୂରର ସହିତ ନିୟମ କରନ୍ତି
ଓ ମିସରକୁ ତୈଳ ପଠାନ୍ତି।
ଯିହୁଦା ଏବଂ ଇସ୍ରାଏଲ ବିରୁଦ୍ଧରେ ପରମେଶ୍ୱରଙ୍କ ଅଭିଯୋଗ
୨ ଆହୁରି, ସଦାପ୍ରଭୁଙ୍କ ଓ ଯିହୁଦା ମଧ୍ୟରେ ବିବାଦ ଅଛି,
ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ଡ ଦେବେ;
ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ।
୩ ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା
ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା;
୪ ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା;
ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା;
ସେ ବେଥେଲ୍‍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା,
ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ।
୫ ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର;
ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।
୬ ଏଥିନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର;
ଦୟା ଓ ନ୍ୟାୟ ବିଚାର ପାଳନ କର
ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ।
୭ ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି;
ସେ ଉପଦ୍ରବ କରିବାକୁ ଭଲ ପାଏ।
୮ ପୁଣି, ଇଫ୍ରୟିମ କହିଲା, “ନିଶ୍ଚୟ ମୁଁ ଧନୀ ହୋଇଅଛି,
ମୁଁ ଆପଣା ନିମନ୍ତେ ସମ୍ପତ୍ତି ପାଇଅଛି;
ମୋ’ର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋ’ଠାରେ ପାଇବେ ନାହିଁ।”
୯ ମାତ୍ର ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ;
ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ବୁରେ ବାସ କରାଇବା।
୧୦ ଆହୁରି, ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ନିକଟରେ କଥା କହିଅଛୁ
ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ;
ଆଉ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଦୃଷ୍ଟାନ୍ତର କଥା ବ୍ୟବହାର କରିଅଛୁ।
୧୧ ଯଦି ଗିଲୀୟଦରେ କିଛି ଅଧର୍ମ ଅଛି, ତେବେ ସେମାନେ ସର୍ବତୋଃ ଭାବେ ଅସାର;
ଗିଲ୍‍ଗଲ୍‍ରେ ସେମାନେ ବୃଷ ବଳିଦାନ କରନ୍ତି;
ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି।
୧୨ ପୁଣି, ଯାକୁବ ଅରାମ ଦେଶକୁ ପଳାଇ ଗଲା
ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା
ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା।
୧୩ ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା
ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ
ଓ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ସେ ରକ୍ଷିତ ହେଲା।
୧୪ ଇଫ୍ରୟିମ ଅତିଶୟ ବିରକ୍ତ କରାଇଅଛି;
ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ
ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ।