୩୫
ପବିତ୍ରତାର ପଥ
୧ ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ। ୨ ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ୍‍ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ। ୩ ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥର ଥର ଆଣ୍ଠୁକୁ ସୁସ୍ଥିର କର। ୪ ଭୀତାନ୍ତଃକରଣମାନଙ୍କୁ କୁହ, ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ। ୫ ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। ୬ ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। ୭ ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ। ୮ ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ। ୯ ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ; ୧୦ ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ।