୩୬
ଯିହୁଦା ଉପରେ ଅଶୂରର ଆକ୍ରମଣ
୧ ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଦ୍ଦଶ ବର୍ଷରେ ଅଶୂରର ରାଜା ସନ୍‍‌‌ହେରୀବ ଯିହୁଦାର ପ୍ରାଚୀରବେଷ୍ଟିତ ନଗରସବୁର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା। ୨ ତହିଁରେ ଅଶୂରର ରାଜା ରବ୍‍ଶାକିକୁ ମହାସୈନ୍ୟ ସହିତ ଲାଖୀଶ୍‍ଠାରୁ ଯିରୂଶାଲମକୁ ହିଜକୀୟ ରାଜା ନିକଟକୁ ପଠାଇଲା। ଆଉ, ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା। ୩ ତେବେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ। ୪ ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, “ଏବେ ତୁମ୍ଭେମାନେ ହିଜକୀୟକୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ ? ୫ ମୁଁ କହୁଅଛି, ଯୁଦ୍ଧ କରିବା ପାଇଁ ତୁମ୍ଭର ମନ୍ତ୍ରଣା ଓ ବଳ କେବଳ ବୃଥା କଥା; ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ ? ୬ ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର। ୭ ମାତ୍ର ଯଦି ତୁମ୍ଭେ ମୋତେ କୁହ, “ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦିସବୁ ଦୂର କରି ଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କ’ଣ ସେହି ନୁହନ୍ତି ?” ୮ ଏହେତୁ ମୁଁ ବିନୟ କରୁଅଛି, ମୋ’ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। ୯ ତେବେ କିପରି ତୁମ୍ଭେ ମୋ’ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ବିମୁଖ କରି ପାରିବ, ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରିବ ? ୧୦ ମୁଁ କ’ଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି ? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।” ୧୧ ଏଥିରେ ଇଲିୟାକୀମ୍‍, ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କୁହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ; ପୁଣି, ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କୁହନ୍ତୁ।” ୧୨ ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, ମୋ’ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହି ସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି ? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କ’ଣ ମୋତେ ପଠାଇ ନାହାନ୍ତି ? ୧୩ ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ। ୧୪ ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ଦିଅ ନାହିଁ; କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିପାରିବ ନାହିଁ; ୧୫ କିଅବା “ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ,” ଏହି କଥା କହି ହିଜକୀୟ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ନ କରାଉ। ୧୬ ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋ’ ସଙ୍ଗେ ସନ୍ଧି କର ଓ ମୋ’ କତିକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପଜଳ ପାନ କର; ୧୭ ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ ତୁମ୍ଭମାନଙ୍କୁ ନେଇ ଯିବି। ୧୮ ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି ? ୧୯ ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି ? ସଫର୍ବୟିମର ଦେବତାମାନେ କାହାନ୍ତି ? ଓ ସେମାନେ କ’ଣ ମୋ’ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି ? ୨୦ ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋ’ ହସ୍ତରୁ ଆପଣାମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋ’ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ ? ୨୧ ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ତାହାକୁ ପଦେ ମାତ୍ର ଉତ୍ତର କଲେ ନାହିଁ; କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାର ଆଜ୍ଞା ଥିଲା। ୨୨ ତହିଁରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍‍ଶାକିର କଥାସବୁ ତାହାକୁ ଜଣାଇଲେ।