୪୨
ସଦାପ୍ରଭୁଙ୍କ ମନୋନୀତ ଦାସ
୧ ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟ ବିଚାର ଆଣିବେ। ୨ ସେ ଚିତ୍କାର କିମ୍ବା ଉଚ୍ଚ ଶବ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ। ୩ ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ। ୪ ସେ ପୃଥିବୀରେ ନ୍ୟାୟ ବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ହେବେ ନାହିଁ; ଆଉ, ଦ୍ୱୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ। ୫ ଯେ ଆକାଶମଣ୍ଡଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି; ୬ “ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ୱାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ, ୭ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ଓ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ କରି ନିଯୁକ୍ତ କରିବୁ। ୮ ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ। ୯ ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେହି ସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍‍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ।”
ଏକ ନୂତନ ଗୀତ
୧୦ ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ୱୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର। ୧୧ ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ। ୧୨ ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ୱୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ। ୧୩ ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍‍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ୱର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ। ୧୪ ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା। ୧୫ ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା। ୧୬ ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେହି ସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ। ୧୭ ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ।
ଶିକ୍ଷା କରିବା ପାଇଁ ଇସ୍ରାଏଲର ଅକ୍ଷମତା
୧୮ ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ। ୧୯ ଆମ୍ଭର ଦାସ ଛଡ଼ା ଅନ୍ଧ କିଏ ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ ? ୨୦ ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ। ୨୧ ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ। ୨୨ ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟିତ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ। ୨୩ ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି ? ୨୪ ଯାକୁବକୁ ଲୁଟିତ ସ୍ୱରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକମାନଙ୍କ ହସ୍ତରେ କିଏ ସମର୍ପଣ କଲେ ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି ? ୨୫ ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳି ଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ୱଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ।