୫୩
୧ ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ? ୨ କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ୩ ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ୪ ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ୫ ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ୬ ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ୭ ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ୮ ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା ? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ୯ ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ। ୧୦ ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। ୧୧ ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। ୧୨ ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳି ଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।