୫୮
ପ୍ରକୃତ ଉପବାସ
୧ ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ, ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ। ୨ ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି। ୩ ସେମାନେ କୁହନ୍ତି, “ଆମ୍ଭେମାନେ କାହିଁକି ଉପବାସ କରିଅଛୁ ଓ ତୁମ୍ଭେ ଦୃଷ୍ଟି କରୁ ନାହଁ ?” ଆମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଲେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ ? ଦେଖ, ତୁମ୍ଭେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ। ୪ ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଉର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ। ୫ ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କ’ଣ ମନୋନୀତ କରିଅଛୁ ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ ? ୬ ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ୭ କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ ? ୮ ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ; ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍‍ବର୍ତ୍ତୀ ହେବ। ୯ ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, “ଆମ୍ଭେ ଉପସ୍ଥିତ ଅଛୁ।” ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର; ୧୦ ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ; ୧୧ ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ। ୧୨ ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବ କାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, “ଭଗ୍ନ-ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”
ବିଶ୍ରାମବାର ବିଧି ପାଳନର ପୁରସ୍କାର
୧୩ ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ; ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ; ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ: ୧୪ ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; ପୁଣି, ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀମାନରେ ଆରୋହଣ କରାଇବା; ଆଉ, ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା : କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି।