୨୭
ନବୂଖଦ୍‍ନିତ୍ସରର ଯୁଆଳି
୧ ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟର* ସିଦିକୀୟର କିମ୍ବା ଯିହୋୟାକୀମ୍‍ର ରାଜତ୍ୱର ଆରମ୍ଭ ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା। ୨ “ଯଥା, ସଦାପ୍ରଭୁ ମୋତେ ଏହି କଥା କହନ୍ତି, ‘ତୁମ୍ଭେ କେତେକ ବନ୍ଧନୀ ଓ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ; ୩ ପୁଣି, ଯେଉଁ ଦୂତଗଣ ଯିହୁଦାର ରାଜା ସିଦିକୀୟ ନିକଟକୁ ଯିରୂଶାଲମକୁ ଆସିଅଛନ୍ତି, ସେମାନଙ୍କ ହସ୍ତ ଦ୍ୱାରା ସେସବୁ ଇଦୋମର ରାଜା ଓ ମୋୟାବର ରାଜା, ଅମ୍ମୋନ ସନ୍ତାନଗଣର ରାଜା, ସୋରର ରାଜା ଓ ସୀଦୋନର ରାଜା ନିକଟକୁ ତାହା ପଠାଅ;’ ୪ ଆଉ, ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବା ପାଇଁ ସେମାନଙ୍କୁ ଏହି ଆଦେଶ ଦିଅ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା କର୍ତ୍ତାଙ୍କୁ ଏହି କଥା କହିବ;
୫ ‘ଆମ୍ଭେ ଆପଣାର ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ପୃଥିବୀ ଓ ପୃଥିବୀନିବାସୀ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ; ଆଉ, ଯାହାକୁ ତାହା ଦେବା ପାଇଁ ଆମ୍ଭଙ୍କୁ ଉଚିତ ଦେଖାଯାଏ, ତାହାକୁ ଆମ୍ଭେ ତାହା ଦେଉ। ୬ ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ। ୭ ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
୮ ପୁଣି, ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲର ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେ ଦେଶକୁ ତାହାର ହସ୍ତ ଦ୍ୱାରା ସଂହାରିତ ନ କରିବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।’
୯ ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ; ୧୦ କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି। ୧୧ ମାତ୍ର ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ଆପଣାମାନଙ୍କର ବେକ ଦେବେ ଓ ତାହାର ଦାସ୍ୟକର୍ମ କରିବେ, ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା, ସେମାନେ ସେଠାରେ କୃଷିକର୍ମ କରି ବାସ କରିବେ।’ ”
୧୨ ଏଥିଉତ୍ତାରେ ମୁଁ ସେହି ସମସ୍ତ ବାକ୍ୟାନୁସାରେ ଯିହୁଦାର ରାଜା ସିଦିକୀୟକୁ ଏହି କଥା କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ଦେଇ ତାହାର ଓ ତାହାର ଲୋକମାନଙ୍କର ଦାସ୍ୟକର୍ମ କର, ତହିଁରେ ବଞ୍ଚିବ। ୧୩ ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଦାସ୍ୟକର୍ମ କରିବେ ନାହିଁ, ସେମାନଙ୍କ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ତୁମ୍ଭେମାନେ, ଅର୍ଥାତ୍‍, ତୁମ୍ଭେ ଓ ତୁମ୍ଭର ଲୋକମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା କାହିଁକି ମରିବ ?
୧୪ ପୁଣି, ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ ବୋଲି ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ ବାକ୍ୟରେ ମନୋଯୋଗ କର ନାହିଁ; ଯେହେତୁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି। ୧୫ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ,ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍‍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।’ ”
୧୬ ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି। ୧୭ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; ବାବିଲ ରାଜାର ଦାସ୍ୟକର୍ମ କର; ତହିଁରେ ବଞ୍ଚିବ; ଏହି ନଗର କାହିଁକି ଉତ୍ସନ୍ନ ସ୍ଥାନ ହେବ ?”
୧୮ ମାତ୍ର ଯଦି ସେମାନେ ଭବିଷ୍ୟଦ୍‍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ।
୧୯ କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୋୟାକୀମର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନ ବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇ ଯିବା ସମୟରେ, ୨୦ ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
୨୧ ହଁ, ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଅବଶିଷ୍ଟ ଥିବା ସେହି ସକଳ ପାତ୍ର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ୨୨ “ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ,” ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।

*୨୭:୧ ସିଦିକୀୟର କିମ୍ବା ଯିହୋୟାକୀମ୍‍ର