୨୩
ଆୟୁବ - ଈଶ୍ୱର କାହାନ୍ତି ?
୧ ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ; ୨ ମୋହର ଅଭିଯୋଗ ଅପେକ୍ଷା ମୋହର ପୀଡ଼ା ଭାରୀ। ୩ ଆହା, ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି, ଯେବେ ଏହା ଜାଣନ୍ତି, ଯେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇ ପାରନ୍ତି ! ୪ ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଓ ଯୁକ୍ତିରେ ଆପଣା ମୁଖ ପୂର୍ଣ୍ଣ କରନ୍ତି। ୫ ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତେ, ତାହା ଜାଣନ୍ତି ଓ ସେ ଯାହା ମୋତେ କହନ୍ତେ, ତାହା ବୁଝନ୍ତି। ୬ ସେ କ’ଣ ଆପଣା ମହାପରାକ୍ରମରେ ମୋ’ ସଙ୍ଗେ ବିରୋଧ କରିବେ ? ନା; ମାତ୍ର ସେ ମୋ’ ପ୍ରତି ମନୋଯୋଗ କରିବେ। ୭ ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରି ପାରିବ, ତହିଁରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି। ୮ ଦେଖ, ମୁଁ ପୂର୍ବ ଆଡକୁ ଯାଏ, ମାତ୍ର ସେ ସେଠାରେ ନାହାନ୍ତି ଓ ପଶ୍ଚିମ ଆଡକୁ ଯାଏ, ମାତ୍ର ତାହାଙ୍କୁ ଦେଖି ପାରେ ନାହିଁ; ୯ ସେ କାର୍ଯ୍ୟ କଲା ବେଳେ ଉତ୍ତର ଦିଗକୁ ଯାଏ, ମାତ୍ର ତାହାଙ୍କର ଦର୍ଶନ ପାଇ ନ ପାରେ; ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ନ ପାରେ। ୧୦ ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ୧୧ ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ। ୧୨ ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ୧୩ ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି। ୧୪ କାରଣ ମୋ’ ପାଇଁ ଯାହା ନିରୂପିତ, ତାହା ସେ ସଫଳ କରନ୍ତି ଓ ତାହାଙ୍କର ଏହି ପ୍ରକାର ଅନେକ କର୍ମ ଅଛି। ୧୫ ଏନିମନ୍ତେ ମୁଁ ତାହାଙ୍କ ସାକ୍ଷାତରେ ବ୍ୟାକୁଳ ହେଉଅଛି; ମୁଁ ବିବେଚନା କଲେ, ତାହାଙ୍କ ସକାଶେ ଭୀତ ହେଉଅଛି। ୧୬ କାରଣ ପରମେଶ୍ୱର ମୋ’ ହୃଦୟକୁ କ୍ଷୀଣ କରିଅଛନ୍ତି ଓ ସର୍ବଶକ୍ତିମାନ ମୋତେ ବ୍ୟାକୁଳ କରିଅଛନ୍ତି; ୧୭ ଯେଣୁ ମୁଁ ଅନ୍ଧକାର ପୂର୍ବରୁ ଉଚ୍ଛିନ୍ନ ନୋହିଲି, କିଅବା ସେ ମୋ’ ମୁଖରୁ ନିବିଡ଼ ଅନ୍ଧକାର ଆଚ୍ଛନ୍ନ କଲେ ନାହିଁ।