୨୭
ଆୟୁବ - ମୋହର ସତ୍ୟତା ରଖିବି
୧ ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, ୨ “ପରମେଶ୍ୱର, ଯେ ମୋହର ସ୍ୱତ୍ୱ ହରଣ କରିଅଛନ୍ତି; ସର୍ବଶକ୍ତିମାନ, ଯେ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି; ୩ (କାରଣ ଏବେ ହେଁ ମୋର ଜୀବନ ମୋ’ ମଧ୍ୟରେ ସୁସ୍ଥ ଅଛି ଓ ମୋ’ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି;) ସେ ଜୀବିତ ଥିବା ପ୍ରମାଣେ, ୪ ନିଶ୍ଚୟ ମୋ’ ଓଷ୍ଠାଧର ଅଧର୍ମର କଥା କହିବ ନାହିଁ ଓ ମୋହର ଜିହ୍ୱା ପ୍ରତାରଣାର କଥା ଉଚ୍ଚାରଣ କରିବ ନାହିଁ। ୫ ମୁଁ ଯେ ତୁମ୍ଭମାନଙ୍କୁ ନିର୍ଦ୍ଦୋଷ କରିବି, ଏହା କଦାପି ନ ହେଉ; ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ। ୬ ମୁଁ ଆପଣା ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ; ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ’ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ। ୭ ମୋହର ଶତ୍ରୁ ଦୁଷ୍ଟର ପରି ହେଉ ଓ ମୋ’ ପ୍ରତିକୂଳରେ ଉଠିବା ଲୋକ ଅଧାର୍ମିକ ତୁଲ୍ୟ ହେଉ। ୮ କାରଣ ଭକ୍ତିହୀନ ଲାଭ ପ୍ରାପ୍ତ ହେଲେ ହେଁ, ପରମେଶ୍ୱର ତାହାର ପ୍ରାଣ ହରଣ କଲେ, ତାହାର ପ୍ରତ୍ୟାଶା କଅଣ ? ୯ ତାହା ଉପରେ ଦୁଃଖ ଉପସ୍ଥିତ ହେଲେ କି ପରମେଶ୍ୱର ତାହାର କ୍ରନ୍ଦନ ଶୁଣିବେ ? ୧୦ ସେ କି ସର୍ବଶକ୍ତିମାନ ପରମେଶ୍ଵରଙ୍କଠାରେ ଆନନ୍ଦ କରିବ ଓ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବ ? ୧୧ ମୁଁ ପରମେଶ୍ୱରଙ୍କ ହସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବି; ଯାହା ସର୍ବଶକ୍ତିମାନଙ୍କଠାରେ ଅଛି, ତାହା ମୁଁ ଗୋପନ କରିବି ନାହିଁ। ୧୨ ଦେଖ, ତୁମ୍ଭେ ସମସ୍ତେ ନିଜେ ତାହା ଦେଖିଅଛ; ତେବେ କାହିଁକି ତୁମ୍ଭେମାନେ ସମ୍ପୂର୍ଣ୍ଣ ଅସାର ହୋଇଅଛ ? ୧୩ ପରମେଶ୍ୱରଙ୍କ ନିକଟରେ ଦୁଷ୍ଟଲୋକର ଏହି ବାଣ୍ଟ ଓ ଉପଦ୍ରବୀମାନେ ସର୍ବଶକ୍ତିମାନଙ୍କଠାରୁ ଏହି ଅଧିକାର ପ୍ରାପ୍ତ ହୁଅନ୍ତି। ୧୪ ଯେବେ ତାହାର ସନ୍ତାନଗଣ ବୃଦ୍ଧି ପାଆନ୍ତି, ତେବେ ଖଡ୍ଗ ନିମନ୍ତେ ଓ ତାହାର ସନ୍ତାନସନ୍ତତି ଭକ୍ଷ୍ୟରେ ତୃପ୍ତ ହେବେ ନାହିଁ। ୧୫ ତାହାର ଅବଶିଷ୍ଟ ଲୋକମାନେ ମୃତ୍ୟୁୁରେ କବରସ୍ଥ ହେବେ ଓ ସେମାନଙ୍କର* ସେମାନଙ୍କର କିମ୍ବା ତାହାର ବିଧବାମାନେ କିଛି ବିଳାପ କରିବେ ନାହିଁ। ୧୬ ଯଦ୍ୟପି ସେ ଧୂଳି ପରି ରୂପା ଗଦା କରେ ଓ କର୍ଦ୍ଦମ ପରି ବସ୍ତ୍ର ପ୍ରସ୍ତୁତ କରେ, ୧୭ ସେ ତାହା କରିପାରେ, ତଥାପି ଧାର୍ମିକ ଲୋକେ ତାହା ପରିଧାନ କରିବେ ଓ ନିର୍ଦ୍ଦୋଷ ଲୋକେ ରୂପା ବିଭାଗ କରି ନେବେ। ୧୮ ସେ କୀଟ ପରି ଓ ଜଗୁଆଳିର କୃତ କୁଟୀର ପରି ଆପଣା ଗୃହ ନିର୍ମାଣ କରେ। ୧୯ ସେ ଧନୀ ହୋଇ ଶୟନ କରେ, ମାତ୍ର ସେ ସଂଗୃହୀତ ହେବ ନାହିଁ; ସେ ଆପଣା ଚକ୍ଷୁ ଫିଟାଏ, ଆଉ ସେ ନ ଥାଏ। ୨୦ ଜଳରାଶି ପରି ତାହାକୁ ଭୟ ଆକ୍ରମଣ କରେ; ରାତ୍ରିରେ ତୋଫାନ ତାହାକୁ ଅପହରଣ କରି ନିଏ। ୨୧ ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ ଓ ସେ ତାହାକୁ ସ୍ୱସ୍ଥାନରୁ ଝାଡ଼ି ନିଏ। ୨୨ କାରଣ ପରମେଶ୍ୱର ଦୟା ନ କରି ତାହା ପ୍ରତି ତୀର ନିକ୍ଷେପ କରିବେ; ସେ ତାହାଙ୍କ ହସ୍ତରୁ ପଳାଇବାକୁ ଇଚ୍ଛା କରିବ। ୨୩ ଲୋକମାନେ ତାହା ପ୍ରତି ହାତତାଳି ମାରିବେ ଓ ଶୀଷ୍‍ ମାରି ତାହାକୁ ସ୍ୱସ୍ଥାନରୁ ଦୂର କରିବେ।

*୨୭:୧୫ ସେମାନଙ୍କର କିମ୍ବା ତାହାର