ସଦାପ୍ରଭୁଙ୍କର ଦିନ
୧ ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ
ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର !
ଦେଶନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ;
କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ।
୨ ତାହା ତିମିର ଓ ଅନ୍ଧକାରମୟ ଦିନ,
ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ,
ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି;
ମହତୀ ଓ ବଳବତୀ ଏକ ଗୋଷ୍ଠୀ,
ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ,
କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ
ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ।
୩ ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି
ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି;
ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ
ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର;
ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ।
୪ ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ
ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି।
୫ ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି,
ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ,
ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ।
୬ ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ;
ସମସ୍ତଙ୍କର ମୁଖ ମଳିନ।
୭ ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି;
ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି;
ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି
ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ।
୮ ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ;
ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି;
ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି
ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।
୯ ସେମାନେ ନଗର ଉପରେ କୁଦନ୍ତି;
ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି;
ସେମାନେ ଗୃହ ଉପରେ ଚଢ଼ନ୍ତି;
ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।
୧୦ ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ;
ଆକାଶମଣ୍ଡଳ ଥରଥର ହୁଏ;
ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ
ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।
୧୧ ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ
ଆପଣା ରବ ଉଚ୍ଚାରଣ କରନ୍ତି;
କାରଣ ତାହାଙ୍କର ଛାଉଣୀ ଅତି ବଡ଼;
କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ।
କାରଣ ସଦାପ୍ରଭୁଙ୍କର ଦିନ ମହତ୍‍ ଓ ଅତି ଭୟାନକ;
ଆଉ କିଏ ତାହା ସହ୍ୟ କରି ପାରେ ?
ଅନୁତାପ ନିମନ୍ତେ ଆହ୍ୱାନ
୧୨ ତଥାପି ସଦାପ୍ରଭୁ କହନ୍ତି,
“ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି
ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।”
୧୩ ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର
ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ;
କାରଣ ସେ କୃପାମୟ ଓ ସ୍ନେହଶୀଳ,
କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ,
ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।
୧୪ କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍‍ ଆଶୀର୍ବାଦ,
ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ
ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ରଖିଯିବେ।
୧୫ ସିୟୋନରେ ତୂରୀ ବଜାଅ
ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;
୧୬ ଲୋକମାନଙ୍କୁ ଏକତ୍ର କର,
ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର,
ବାଳକ, ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର;
ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ।
୧୭ ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ
ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ,
ଆଉ ସେମାନେ କହନ୍ତୁ,
“ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର
ଓ ଅନ୍ୟ ଦେଶୀୟମାନେ ଯେପରି
ସେମାନଙ୍କ ଉପରେ ଶାସନ ନ କରିବେ,
ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ;
ସେମାନଙ୍କର ପରମେଶ୍ୱର କାହାନ୍ତି,
ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ ?”
ପରମେଶ୍ୱରଙ୍କ ଆଶୀର୍ବାଦ
୧୮ ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍‍ଯୋଗୀ ହେଲେ
ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ।
୧୯ ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ,
“ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ,
ଦ୍ରାକ୍ଷାରସ ଓ ତୈଳ ପଠାଇ ଦେବା,
ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ;
ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ
ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।
୨୦ ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ
ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା,
ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ି ଦେଇ
ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ,
ଆଉ ସେମାନଙ୍କର ପଶ୍ଚାଦ୍‍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ି ଦେବା;
ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ,
କାରଣ ସେ ମହତ୍‍ କର୍ମମାନ କରିଅଛନ୍ତି।”
୨୧ ହେ ଦେଶ, ଭୟ କର ନାହିଁ,
ଉଲ୍ଲସିତ ହୋଇ ଆନନ୍ଦ କର;
କାରଣ ସଦାପ୍ରଭୁ ମହତ୍‍ କର୍ମମାନ କରିଅଛନ୍ତି।
୨୨ ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ;
କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନ ସବୁ ଅଙ୍କୁରିତ ହେଉଅଛି,
ବୃକ୍ଷ ଫଳ ଫଳୁଅଛି, ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।
୨୩ ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ
ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର;
କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି
ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି,
ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ।
୨୪ ପୁଣି, ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ
ଓ କୁଣ୍ଡସବୁ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
୨୫ “ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ,
ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ,
ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି,
ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।
୨୬ ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ
ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି,
ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ
ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।
୨୭ ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ
ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ,
ଏହା ତୁମ୍ଭେମାନେ ଜାଣିବ; ପୁଣି, ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।
ମନୁଷ୍ୟ ଉପରେ ପରମେଶ୍ୱରଙ୍କ ଆତ୍ମା
୨୮ ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା;
ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ,
ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ,
ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।
୨୯ ଆଉ, ସେହି ସମୟରେ ମଧ୍ୟ ଆମ୍ଭେ
ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।
୩୦ ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ
ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା।
୩୧ ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ
ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।
୩୨ ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ;
କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ
ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ,
ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ,
ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।”