ନୀନିବୀକୁ ଯୂନସଙ୍କ ଯାତ୍ରା
୧ ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା; ୨ “ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।” ୩ ତହିଁରେ ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। ୪ ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚୈଃସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।” ୫ ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ।
ନୀନିବୀର ଲୋକଙ୍କ ଅନୁତାପ
୬ ଏଥିଉତ୍ତାରେ ଏହି ସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ। ୭ ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ; ୮ ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ। ୯ କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।” ୧୦ ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।