୨୩
ପୀଲାତଙ୍କ ସମ୍ମୁଖରେ ଯୀଶୁ
(ମାଥିଉ 27:1,2,11-14; ମାର୍କ 15:1-5; ଯୋହନ 18:28-38)
୧ ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ । ୨ ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି ।
୩ ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା ? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି । ୪ ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ । ୫ କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୂଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି ।
ହେରୋଦଙ୍କ ସମ୍ମୁଖରେ ଯୀଶୁ
୬ କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କ'ଣ ଜଣେ ଗାଲିଲୀୟ ? ୭ ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।
୮ ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ । ୯ ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ । ୧୦ ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ରଭାବରେ ଅଭିଯୋଗ କରୁଥିଲେ ।
୧୧ ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ । ୧୨ ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା ।
ଯୀଶୁଙ୍କ ପ୍ରାଣଦଣ୍ଡ
(ମାଥିଉ 27:15-26; ମାର୍କ 15:6-15; ଯୋହନ 18:39—19:16)
୧୩ ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ, ୧୪ ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ । ହେରୋଦ ମଧ୍ୟ ପାଇ ନାହାଁନ୍ତି,
୧୫ କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି, ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ; ୧୬ ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ ୧୭ [ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା ।]
୧୮ ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର । ୧୯ ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଲବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।
୨୦ ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ । ୨୧ କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ । ୨୨ ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି ? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା ।
୨୩ ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା । ୨୪ ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ; ୨୫ କିନ୍ତୁ ବିପ୍ଲବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ ।
ଯୀଶୁଙ୍କ କ୍ରୁଶବିଦ୍ଧ
(ମାଥିଉ 27:32-44; ମାର୍କ 15:21-32; ଯୋହନ 19:17-27)
୨୬ ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀଗ୍ରାମରୁ ଆସୁଥିବା ଶିମୋନ ନାମକ ଜଣେ କୁରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ ।
୨୭ ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍‌ଗମନ କରୁଥିଲେ । ୨୮ କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, ଗୋ ଯିରୂଶାଲମର କନ୍ୟାମାନେ, ମୋ' ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;
୨୯ କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାଁନ୍ତି ଓ ସ୍ତନ୍ୟପାନ କରାଇ ନାହାଁନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି । ୩୦ ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ । ୩୧ କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କ'ଣ ନ ଘଟିବ ?
୩୨ ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।
୩୩ ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। ୩୪ ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।
୩୫ ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ । ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ ।
୩୬ ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଲରସ ଯାଚି ତାହାଙ୍କୁ ପରିହାସ କରି କହିଲେ, ୩୭ ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର । ୩୮ ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୂଦୀମାନଙ୍କର ରାଜା ।”
୩୯ ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର । ୪୦ କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ ? ୪୧ ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି ।
୪୨ ପୁଣି, ସେ କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ । ୪୩ ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।
ଯୀଶୁଙ୍କ ମୃତ୍ୟୁ
(ମାଥିଉ 27:45-56; ମାର୍କ 15:33-41; ଯୋହନ 19:28-30)
୪୪ ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା, ୪୫ ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।
୪୬ ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ । ୪୭ ଶତସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ ।
୪୮ ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହି ସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ । ୪୯ କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହି ସବୁ ଦେଖୁଥିଲେ ।
ଯୀଶୁଙ୍କ ସମାଧି
(ମାଥିଉ 27:57-61; ମାର୍କ 15:42-47; ଯୋହନ 19:38-42)
୫୦ ଆଉ ଦେଖ, ଯିହୂଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ, ୫୧ ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ ।
୫୨ ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, ୫୩ ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧିରେ ତାହାଙ୍କୁ ଥୋଇଲେ ।
୫୪ ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା ୫୫ ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ, ୫୬ ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ ।