ଯୀଶୁ ପରୀକ୍ଷାର ସମ୍ମୁଖୀନ
(ମାର୍କ 1:12-13; ଲୂକ 4:1-13)
୧ ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, ୨ ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ । ୩ ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡିକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ।” ୪ କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖା ଅଛି, 'ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।'”
୫ ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ୬ ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
୭ ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ । ୮ ପୁଣି, ଥରେ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଏୗଶ୍ୱର୍ଯ୍ୟ ଦେଖାଇ କହିଲା, ୯ ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା ।
୧୦ ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ ।
୧୧ ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ ।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ
(ମାର୍କ 1:14,15; ଲୂକ 4:14,15,31)
୧୨ ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ; ୧୩ ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲୀ ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
୧୪ ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
୧୫ ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦନର ଅପର ପାର୍ଶ୍ୱସ୍ଥ ଅଣଯିହୂଦୀମାନଙ୍କ ଗାଲିଲୀ,
୧୬ ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା ।
୧୭ ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, “ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।”
ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ
(ମାର୍କ 1:16-20; ଲୂକ 5:1-11; ଯୋହନ 1:35-42)
୧୮ ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । ୧୯ ସେ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।” ୨୦ ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।
୨୧ ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । ୨୨ ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ଯୀଶୁଙ୍କ ସେବାକାର୍ଯ୍ୟ
(ଲୂକ 6:17-19)
୨୩ ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, ୨୪ ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । ୨୫ ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦା ପ୍ରଦେଶ ଓ ଯର୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଛରେ ଗଲେ ।