କୁଷ୍ଠରୋଗୀର ସୁସ୍ଥତା
(ମାର୍କ 1:40-45; ଲୂକ 5:12-16)
୧ ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ । ୨ ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । ୩ ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା । ୪ ଆଉ ଯୀଶୁ ତାହାକୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର ।
ରୋମୀୟ ସେନାପତିଙ୍କ ବିଶ୍ୱାସ
(ଲୂକ 7:1-10)
୫ ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, ୬ ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି । ୭ ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ସୁସ୍ଥ କରିବି । ୮ କିନ୍ତୁ ଶତସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ' ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । ୯ କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ । ୧୦ ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । ୧୧ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ, ୧୨ ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । ୧୩ ଆଉ ଯୀଶୁ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ । ସେହିକ୍ଷଣି ଦାସଟି ସୁସ୍ଥ ହେଲା ।
ଅନେକଙ୍କ ସୁସ୍ଥତା
(ମାର୍କ 1:29-34; ଲୂକ 4:38-41)
୧୪ ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; ୧୫ ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ । ୧୬ ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, ୧୭ ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।
ଯୀଶୁଙ୍କ ଶିଷ୍ୟ ହେବାର ଯୋଗ୍ୟତା
(ଲୂକ 9:57-62)
୧୮ ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ । ୧୯ ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି । ୨୦ ସେଥିରେ ଯୀଶୁ ତାହାକୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ । ୨୧ ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । ୨୨ କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ ।
ଝଡ଼ ଉପରେ ଅଧିକାର
(ମାର୍କ 4:35-41; ଲୂକ 8:22-25)
୨୩ ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ । ୨୪ ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ । ୨୫ ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ । ୨୬ ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା । ୨୭ ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି ।
ଦୁଇ ଭୂତଗ୍ରସ୍ତଙ୍କୁ ଯୀଶୁଙ୍କ ସୁସ୍ଥତା
(ମାର୍କ 5:1-20; ଲୂକ 8:26-39)
୨୮ ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରି ପାରୁ ନ ଥିଲେ । ୨୯ ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କ'ଣ ଅଛି ? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ ? ୩୦ ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା । ୩୧ ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ । ୩୨ ଯୀଶୁ ସେମାନଙ୍କୁ କହିଲେ, ଯାଅ । ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ୩୩ ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହି ସବୁ ଜଣାଇଲେ । ୩୪ ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ ।