୧୪
ବାପ୍ତିଜକ ଯୋହନଙ୍କ ମୃତ୍ୟୁ
(ମାର୍କ 6:14-29; ଲୂକ 9:7-9)
୧ ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ, ୨ ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
୩ ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । ୪ କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ । ୫ ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।
୬ କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା । ୭ ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ।
୮ ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ । ୯ ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ ।
୧୦ ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ, ୧୧ ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା । ୧୨ ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ ।
ପାଞ୍ଚ ରୁଟି ଦୁଇ ମାଛ
(ମାର୍କ 6:30-44; ଲୂକ 9:10-17; ଯୋହନ 6:1-14)
୧୩ ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ; ୧୪ ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ ।
୧୫ ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ ।
୧୬ କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ୧୭ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି । ୧୮ ସେ କହିଲେ, ସେଗୁଡ଼ିକ ଏଠାକୁ ମୋ' ପାଖକୁ ଆଣ ।
୧୯ ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ । ୨୦ ପୁଣି, ସେମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ । ୨୧ ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ ।
ଯୀଶୁଙ୍କ ପାଣି ଉପରେ ଚାଲିବା
(ମାର୍କ 6:45-52; ଯୋହନ 6:15-21)
୨୨ ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପରପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ । ୨୩ ଲୋକସମୂୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ । ୨୪ କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା ।
୨୫ କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ୨୬ ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ । ୨୭ କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ ସାହସ ଧର ଏ ତ ମୁଁ, ଭୟ କର ନାହିଁ ।
୨୮ ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ । ୨୯ ସେ କହିଲେ, ଆସ । ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ । ୩୦ ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।
୩୧ ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ ? ୩୨ ପୁଣି, ସେମାନେ ନୌକାରେ ଚଢ଼ନ୍ତେ ପବନ ଵନ୍ଦ ହେଲା । ୩୩ ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ।
ଗିନ୍ନେସରତ୍‌ରେ ଯୀଶୁଙ୍କ ‌ସୁସ୍ଥତା ପ୍ରଦାନ
(ମାର୍କ 6:53-56)
୩୪ ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚିଲେ । ୩୫ ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; ୩୬ ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।