୨୮
ଯୀଶୁଙ୍କ ପୁନରୁତ୍‌ଥାନ
(ମାର୍କ 16:1-10; ଲୂକ 24:1-12; ଯୋହନ 20:1-10)
୧ ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ । ୨ ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ ।
୩ ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ବରଫ ପରି ଧଳା ରଙ୍ଗ ଥିଲା, ୪ ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ ।
୫ କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ । ୬ ସେ ଏଠାରେ ନାହାଁନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି । ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ । ୭ ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି ।
୮ ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ । ୯ ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ । ୧୦ ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ ।
ପ୍ରହରୀମାନଙ୍କର ବିବୃତି
୧୧ ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ । ୧୨ ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, ୧୩ ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ ।
୧୪ ପୁଣି, ଏକଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା । ୧୫ ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି ।
ମହାନ ଆଦେଶ
(ମାର୍କ 16:14-18; ଲୂକ 24:36-49; ଯୋହନ 20:19-23; ପ୍ରେରିତ 1:6-8)
୧୬ କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ । ୧୭ ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ ।
୧୮ ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି । ୧୯ ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
୨୦ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।