ସଦାପ୍ରଭୁଙ୍କ ପର୍ବତ
୧ ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ୨ ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ୩ ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। ୪ ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି। ୫ କାରଣ ଯାବତୀୟ ଗୋଷ୍ଠୀ ଆପଣା ଆପଣା ଦେବତାର ନାମରେ ଚାଲିବେ, ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା।
ସିୟୋନକୁ ସଦାପ୍ରଭୁଙ୍କ ସୁରକ୍ଷା
୬ ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, ପୁଣି ଯେ ତାଡ଼ିତ ହୋଇଅଛି ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା। ୭ ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ। ୮ ପୁଣି, ହେ ପଲର ଦୁର୍ଗ, ହେ ସିୟୋନ କନ୍ୟାର ଗିରି, ତାହା ତୁମ୍ଭ ନିକଟକୁ ଆସିବ, ହଁ ପୂର୍ବ କାଳର ରାଜ୍ୟ, ଯିରୂଶାଲମ କନ୍ୟାର ରାଜ୍ୟ ଆସିବ। ୯ ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ ? ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବ ବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି ? ୧୦ ହେ ସିୟୋନ କନ୍ୟେ,* ସିୟୋନ କନ୍ୟେ, ଅର୍ଥାତ୍ ଯିରୂଶାଲମର ଲୋକମାନେ ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର; କାରଣ ଏବେ ତୁମ୍ଭେ ନଗରରୁ ବାହାରି ଯାଇ ପଦାରେ ବାସ କରିବ ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; ସେଠାରେ ତୁମ୍ଭେ ଉଦ୍ଧାର ପାଇବ; ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ ତୁମ୍ଭକୁ ମୁକ୍ତ କରିବେ। ୧୧ ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, ସେମାନେ କହନ୍ତି, ସେ ଅଶୁଚି ହେଉ ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ। ୧୨ ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ, ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; କାରଣ ସେ ସେମାନଙ୍କୁ ଶସ୍ୟ ବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି। ୧୩ ହେ ସିୟୋନ କନ୍ୟେ, ଉଠ, ଶସ୍ୟ ମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

*୪:୧୦ ସିୟୋନ କନ୍ୟେ, ଅର୍ଥାତ୍ ଯିରୂଶାଲମର ଲୋକମାନେ