ନାସରୀୟ ବ୍ରତ
୧ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ୨ “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବା ନିମନ୍ତେ ଯଦି ନାସରୀୟ* ଅର୍ଥାତ୍ ପୃଥକ କୌଣସି ବିଶେଷ ବ୍ରତ କରେ, ୩ ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ୍ କରିବ; ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଅବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। ୪ ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ। ୫ ତାହାର ବ୍ରତ ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ। ୬ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ। ୭ ଆପଣା ପିତା କିମ୍ବା ମାତା କିମ୍ବା ଭ୍ରାତା କିମ୍ବା ଭଗିନୀ ମଲେ, ସେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ; କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି। ୮ ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ୯ ଆଉ ଯଦି କୌଣସି ମନୁଷ୍ୟ ହଠାତ୍‍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍‍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ। ୧୦ ପୁଣି, ଅଷ୍ଟମ ଦିନରେ ସେ ଦୁଇ ଘୁଘୁ ଅବା ଦୁଇ କପୋତ ଛୁଆ ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। ୧୧ ଆଉ ଯାଜକ ତହିଁରୁ ଗୋଟିକୁ ପାପାର୍ଥେ ଓ ଅନ୍ୟଟିକୁ ହୋମାର୍ଥେ ଉତ୍ସର୍ଗ କରିବ ଓ ସେ ଶବ-ଘଟିତ ଯେଉଁ ପାପ କଲା, ତହିଁ ଲାଗି ପ୍ରାୟଶ୍ଚିତ୍ତ କରିବ ଓ ସେ ସେହିଦିନ ତାହାର ମସ୍ତକ ପବିତ୍ର କରିବ। ୧୨ ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି, ଦୋଷାର୍ଥକ ବଳି ନିମନ୍ତେ ଏକବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ; ମାତ୍ର ପୂର୍ବ ଦିନସବୁ ବୃଥା ହେବ, କାରଣ ତାହାର ପୃଥକ‍କରଣ ଅଶୁଚି ହେଲା। ୧୩ ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ, ନାସରୀୟ ବ୍ରତର ଏହି ବ୍ୟବସ୍ଥା ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଅଣାଯିବ। ୧୪ ପୁଣି, ସେ ହୋମାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ ୧୫ ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ୧୬ ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ। ୧୭ ତହିଁ ଉତ୍ତାରେ ସେ ତାଡ଼ିଶୂନ୍ୟ ରୁଟିର ଡାଲା ସହିତ ମଙ୍ଗଳାର୍ଥକ ମେଷବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ମଧ୍ୟ ଯାଜକ ତହିଁର ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବ। ୧୮ ତେବେ ନାସରୀୟ ଲୋକ ସମାଗମ-ତମ୍ବୁ ଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧଃସ୍ଥିତ ଅଗ୍ନିରେ ପକାଇବ। ୧୯ ପୁଣି, ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତ୍ତାରେ, ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଧ, ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ। ୨୦ ଆଉ, ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ; ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁ ଉତ୍ତାରେ ସେହି ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରି ପାରିବ। ୨୧ ନାସରୀୟ ବ୍ରତଧାରୀ ଲୋକ ଯାହା ଦେବାକୁ ସକ୍ଷମ, ତାହା ବ୍ୟତୀତ ଓ ତାହାର ପୃଥକ୍ ରହିବା ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ-ଦାନର ବ୍ୟବସ୍ଥା ଏହି; ସେ ଯେରୂପ ବ୍ରତ କରେ, ପୃଥକ୍ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ।
ଯାଜକୀୟ ଆଶୀର୍ବାଦ
୨୨ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ୨୩ “ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣକୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଏହିରୂପେ ଆଶୀର୍ବାଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ, ୨୪ “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ; ୨୫ ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ; ୨୬ ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମ୍ଭକୁ ଶାନ୍ତି ଦେଉନ୍ତୁ।” ୨୭ ଏହିରୂପେ ସେମାନେ ଇସ୍ରାଏଲ ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।

*୬:୨ ଅର୍ଥାତ୍ ପୃଥକ