୧୨
ସହାୟତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ।
 
୧ ସଦାପ୍ରଭୁ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି;
ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।
୨ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି।
ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।
୩ ସଦାପ୍ରଭୁ ଚାଟୁବାଦୀ
ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;
୪ ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା;
ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ ?
୫ ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ,
ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା;
ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।
୬ ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ,
ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।
୭ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ,
ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।
୮ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ
ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।