୧୩
ସହାୟତା ପାଇଁ ନିବେଦନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
୧ ହେ ସଦାପ୍ରଭୁ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ ?
ତୁମ୍ଭେ କେତେ କାଳ ମୋ’ଠାରୁ ଆପଣା ମୁଖ ଲୁଚାଇବ ?
୨ ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ
କେତେ କାଳ ମନେ ମନେ ପରାମର୍ଶ କରିବି ?
କେତେ କାଳ ମୋ’ ଶତ୍ରୁ ମୋ’ ଉପରେ ଉଚ୍ଚୀକୃତ ହେବ ?
୩ ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ;
ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;
୪ କେଜାଣି ମୋ’ ଶତ୍ରୁ କହିବ, “ମୁଁ ତାହାକୁ ଜୟ କରିଅଛି,”
ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ।
୫ ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି;
ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;
୬ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି,
କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।