୧୪
ମଣିଷର ଦୁଷ୍ଟତା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
୧ ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।”
ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି;
ସୁକର୍ମକାରୀ କେହି ନାହିଁ।
୨ ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି
ଅଛି କି ନାହିଁ, ଏହା ଦେଖିବା ପାଇଁ
ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି।
୩ ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି;
ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।
୪ ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ ?
ସେମାନେ ମୋ’ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି
ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।
୫ ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ;
କାରଣ ପରମେଶ୍ୱର ଧାର୍ମିକ-ବଂଶ ମଧ୍ୟରେ ଅଛନ୍ତି।
୬ ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ,
ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି।
୭ ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ !
ଯଦି ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣନ୍ତି
ତେବେ ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ।