୨୩
ସଦାପ୍ରଭୁ ମୋର ପ୍ରତିପାଳକ
ଦାଉଦଙ୍କର ଗୀତ।
 
୧ ସଦାପ୍ରଭୁ ମୋହର ପ୍ରତିପାଳକ;
ମୋହର ଅଭାବ ହେବ ନାହିଁ।
୨ ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି;
ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।
୩ ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି,
ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି।
୪ ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ
କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ,
ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।
୫ ତୁମ୍ଭେ ମୋ’ ଶତ୍ରୁଗଣଙ୍କ ସାକ୍ଷାତରେ ମୋ’ ସମ୍ମୁଖରେ ମେଜ ସଜାଉଅଛ;
ତୁମ୍ଭେ ତୈଳରେ ମୋ’ ମସ୍ତକ ସିକ୍ତ କରିଅଛ;
ମୋ’ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି।
୬ ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ;
ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।