୨୯
ସଦାପ୍ରଭୁଙ୍କ ରବର ପରାକ୍ରମ
ଦାଉଦଙ୍କର ଗୀତ।
 
୧ ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର,
ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର।
୨ ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର;
ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର।
୩ ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି;
ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି,
ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ।
୪ ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ;
ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।
୫ ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ;
ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି।
୬ ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି;
ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି।
୭ ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ।
୮ ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ;
ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି।
୯ ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ
ଓ ବନସମୂହକୁ ବିବସ୍ତ୍ର କରେ;
ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି।
୧୦ ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ;
ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି।
୧୧ ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ;
ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।