୩୯
ଅନ୍ତିମକାଳର ପରିଚୟ ଦିଅ
ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍‍ ପାଇଁ ଦାଉଦଙ୍କର ଗୀତ।
 
୧ ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ
ଆପଣା ପଥ ବିଷୟରେ ସାବଧାନ ହେବି;
ଦୁଷ୍ଟ ମୋ’ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ
ଲଗାମ ଦେଇ ରଖିବି।”
୨ ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ
ନିବୃତ୍ତ ରହିଲି;
ତହିଁରେ ମୋହର ଦୁଃଖ ପ୍ରବଳ ହେଲା;
୩ ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି;
ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି;
ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;
୪ “ହେ ସଦାପ୍ରଭୁ, ମୋହର ଅନ୍ତିମକାଳ ଓ ମୋ’ ଦିନର
ପରିମାଣ କଅଣ, ମୋତେ ଜଣାଅ;
ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।
୫ ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ;
ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ;
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ
ହିଁ ନିତାନ୍ତ ଅସାର।
[ସେଲା]
୬ ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ
କରେ;
ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ;
ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ,
ଜାଣେ ନାହିଁ।
୭ ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି ?
ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।
୮ ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର;
ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।
୯ ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି
ନାହିଁ;
କାରଣ ତୁମ୍ଭେ ତାହା କଲ।
୧୦ ମୋ’ଠାରୁ ତୁମ୍ଭ ଆଘାତ ଦୂର କର;
ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।
୧୧ ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା
ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ
କରିଥାଅ;
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର।
[ସେଲା]
୧୨ ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’
ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ;
ମୋ’ ଅଶ୍ରୁପାତରେ ନୀରବ ହୁଅ ନାହିଁ;
କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ,
ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।
୧୩ ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର
ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋ’ଠାରୁ ଦୃଷ୍ଟି
ଫେରାଅ।”