୪୬
ସହବର୍ତ୍ତୀ ପରମେଶ୍ୱର
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ।
 
୧ ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ,
ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।
୨ ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ
ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;
୩ ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ,
ତହିଁର ପ୍ଳାବନରେ ପର୍ବତଗଣ କମ୍ପିତ ହେଲେ ହେଁ
ଆମ୍ଭେମାନେ ଭୟ କରିବା ନାହିଁ।
[ସେଲା]
୪ ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ
ପରମେଶ୍ୱରଙ୍କ ନଗରକୁ,
ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ।
୫ ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ
ନାହିଁ।
ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।
୬ ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ
ହେଲେ;
ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।
୭ ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ,
ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।
୮ ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ,
ସେ ପୃଥିବୀରେ କିପ୍ରକାର ଉଜାଡ଼ କରିଅଛନ୍ତି !
୯ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି;
ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି;
ସେ ରଥ* ରଥ କିମ୍ବା ଢାଲସବୁ ଅଗ୍ନିରେ ପୋଡ଼ି ପକାନ୍ତି।
୧୦ କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ;
ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ,
ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।
୧୧ ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ;
ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।
[ସେଲା]

*୪୬:୯ ରଥ କିମ୍ବା ଢାଲ