୬୫
ପ୍ରଶଂସା ଓ ଧନ୍ୟବାଦ
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ।
 
୧ ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ
ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।
୨ ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ,
ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।
୩ ଅପରାଧ ମୋ’ ଉପରେ ପ୍ରବଳ ହୁଏ;
ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ।
୪ ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ;
ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍,
ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।
୫ ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର,
ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ;
ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ
ସମସ୍ତଙ୍କର ବିଶ୍ୱାସଭୂମି ଅଟ।
୬ ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ
ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ;
୭ ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର
ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ।
୮ ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି;
ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍‍ଗମକୁ ଆନନ୍ଦମୟ କରିଥାଅ।
୯ ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ,
ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ;
ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ;
ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ।
୧୦ ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ;
ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ;
ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ;
ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ;
୧୧ ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ
ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ।
୧୨ ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ
ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।
୧୩ ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି;
ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି;
ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।