୬୬
ପ୍ରଶଂସା ଓ ଧନ୍ୟବାଦର ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
 
୧ ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
୨ ତାହାଙ୍କ ନାମର ମହିମା କୀର୍ତ୍ତନ କର;
ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।
୩ ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର !
ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।”
୪ ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ
ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ;
ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।
୫ ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ;
ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।
୬ ସେ ସମୁଦ୍ରକୁ ଶୁଷ୍କଭୂମି କଲେ;
ଲୋକମାନେ ନଦୀ ମଧ୍ୟ ଦେଇ ପାଦରେ ଗମନ କଲେ;
ସେହି ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ।
୭ ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି;
ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ;
ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। [ସେଲା]
୮ ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର
ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;
୯ ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି
ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ।
୧୦ କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ;
ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।
୧୧ ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ,
ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ।
୧୨ ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ;
ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ;
ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।
୧୩ ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି,
ମୁଁ ସଙ୍କଟରେ ଥିଲା ବେଳେ
୧୪ ମୋ’ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି ଓ
ମୋ’ ମୁଖ ଯାହା କହିଅଛି,
ମୋହର ସେହିସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି।
୧୫ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ
ହୃଷ୍ଟପୁଷ୍ଟ ହୋମବଳି ଉତ୍ସର୍ଗ କରିବି;
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। [ସେଲା]
୧୬ ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ,
ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।
୧୭ ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି
ଓ ମୋ’ ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ।
୧୮ ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ,
ତେବେ ପ୍ରଭୁ ମୋ’ କଥା ଶୁଣିବେ ନାହିଁ;
୧୯ ମାତ୍ର ନିଶ୍ଚୟ ପରମେଶ୍ୱର ମୋ’ କଥା ଶୁଣିଅଛନ୍ତି,
ସେ ମୋ’ ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି।
୨୦ ପରମେଶ୍ୱର ଧନ୍ୟ ହେଉନ୍ତୁ,
ସେ ମୋହର ପ୍ରାର୍ଥନା କିଅବା
ମୋ’ଠାରୁ ଆପଣା ଦୟା ଦୂର କରି ନାହାନ୍ତି।