୬୭
ଧନ୍ୟବାଦର ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
 
୧ ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। [ସେଲା]
୨ ତହିଁରେ ପୃଥିବୀରେ ତୁମ୍ଭର ପଥ ଓ
ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ।
୩ ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା କରନ୍ତୁ;
ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
୪ ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ;
କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ
ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। [ସେଲା]
୫ ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ;
ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
୬ ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି;
ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ।
୭ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ;
ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ।