୬୯
ସାହାଯ୍ୟ ପାଇଁ ଆତୁର ନିବେଦନ
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ ଦାଉଦଙ୍କର ଗୀତ।
 
୧ ହେ ପରମେଶ୍ୱର, ମୋତେ ପରିତ୍ରାଣ କର;
କାରଣ ମୋ’ ବେକ* ବେକ କିମ୍ବା ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି।
୨ ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ;
ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋ’ ଉପର ଦେଇ ଯାଉଅଛି।
୩ ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି;
ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ।
୪ ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ’ ମସ୍ତକର କେଶଠାରୁ ଅନେକ;
ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ;
ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି।
୫ ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ;
ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।
୬ ହେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଅନୁସରଣକାରୀମାନେ ମୋ’ ଦେଇ ଲଜ୍ଜିତ ନ ହେଉନ୍ତୁ;
ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋ’ ଦେଇ ଅପମାନିତ ନ ହେଉନ୍ତୁ।
୭ କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି।
ଲଜ୍ଜା ମୋ’ ମୁଖ ଆଚ୍ଛାଦନ କରିଅଛି।
୮ ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ
ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି।
୯ କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି।
ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ’ ଉପରେ ପଡ଼ିଅଛି।
୧୦ ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ,
ତାହା ମୋ’ ନିନ୍ଦାର ବିଷୟ ହେଲା।
୧୧ ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ,
ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି।
୧୨ ନଗର-ଦ୍ୱାରରେ ବସିବା ଲୋକମାନେ ମୋ’ ବିଷୟରେ ଗଳ୍ପ କରନ୍ତି
ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି।
୧୩ ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି;
ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ।
୧୪ ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ;
ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ।
୧୫ ଜଳପ୍ଲାବନ ମୋତେ ମଗ୍ନ ନ କରୁ,
କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ;
ପୁଣି, ଗର୍ତ୍ତ ମୋ’ ଉପରେ ଆପଣା ମୁଖ ବନ୍ଦ ନ କରୁ।
୧୬ ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ;
ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ’ ପ୍ରତି ଫେର।
୧୭ ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ;
କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ।
୧୮ ମୋ’ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର;
ମୋ’ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର।
୧୯ ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ;
ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି।
୨୦ ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି;
ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା
ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।
୨୧ ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ
ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ।
୨୨ ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ
ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ।
୨୩ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ
ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର।
୨୪ ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦିଅ
ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ।
୨୫ ସେମାନଙ୍କର ବସତି-ସ୍ଥାନ ଶୂନ୍ୟ ହେଉ;
ସେମାନଙ୍କ ତମ୍ବୁରେ କେହି ବାସ ନ କରୁ।
୨୬ କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି
ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।
୨୭ ସେମାନଙ୍କ ଅପରାଧରେ ଅପରାଧ ଯୋଗ କର
ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ।
୨୮ ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ
ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।
୨୯ ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ;
ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ।
୩୦ ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି
ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି।
୩୧ ପୁଣି, ତାହା ଗୋରୁ ଅବା ଶୃଙ୍ଗ ଓ
ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ।
୩୨ ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି;
ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ।
୩୩ କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି
ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ।
୩୪ ଆକାଶ ଓ ପୃଥିବୀ,
ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ।
୩୫ କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ;
ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ।
୩୬ ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ;
ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

*୬୯:୧ ବେକ କିମ୍ବା ପ୍ରାଣ