୭୮
ପରମେଶ୍ୱର ଓ ତାହାଙ୍କ ଲୋକମାନେ
ଆସଫର ମସ୍କୀଲ୍‍।
 
୧ ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ;
ମୋ’ ମୁଖର ବାକ୍ୟରେ କର୍ଣ୍ଣପାତ କର।
୨ ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି;
ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି;
୩ ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ
ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
୪ ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ,
ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ
ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା।
୫ କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ
ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ,
ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ
ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;
୬ ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ ଜାତ ହେବେ,
ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ;
୭ ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ
ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ,
ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ;
୮ ପୁଣି, ଆପଣା ପିତୃଗଣ ତୁଲ୍ୟ
ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ;
ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ;
ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।
୯ ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ
ସଂଗ୍ରାମ ଦିନରେ ହଟିଗଲେ।
୧୦ ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ
ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;
୧୧ ସେମାନେ ତାହାଙ୍କ କାର୍ଯ୍ୟସକଳ,
ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ।
୧୨ ସେ ସେମାନଙ୍କ ପିତୃଗଣ ସାକ୍ଷାତରେ
ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟ କର୍ମ କଲେ।
୧୩ ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ;
ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ।
୧୪ ଦିବସରେ ସେ ମେଘ ଦ୍ୱାରା ଓ
ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।
୧୫ ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ,
ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ।
୧୬ ସେ ଶୈଳରୁ ସ୍ରୋତ ବାହାର କଲେ
ଓ ନଦୀ ତୁଲ୍ୟ ଜଳ ବହାଇଲେ।
୧୭ ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ
ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।
୧୮ ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ
ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ।
୧୯ ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ;
ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ ?
୨୦ ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା
ଓ ସ୍ରୋତ ପ୍ରବାହିତ ହେଲା;
ସେ କି ଅନ୍ନ ମଧ୍ୟ ଦେଇ ପାରନ୍ତି ?
ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ ?”
୨୧ ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ
ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ
ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା;
୨୨ କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ
ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ।
୨୩ ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ
ଓ ଆକାଶର ଦ୍ୱାର ମୁକ୍ତ କଲେ।
୨୪ ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ
ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
୨୫ ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା;
ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ।
୨୬ ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ
ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ।
୨୭ ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ,
ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ;
୨୮ ସେ ସେମାନଙ୍କ ଛାଉଣି ମଧ୍ୟରେ,
ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ।
୨୯ ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ
ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ।
୩୦ ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ,
ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ
୩୧ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା
ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା,
ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।
୩୨ ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ
ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ।
୩୩ ଏହେତୁ ସେ ଅସାରତାରେ ସେମାନଙ୍କ ଦିନ
ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ,
୩୪ ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ;
ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ।
୩୫ ପରମେଶ୍ୱର ଯେ ସେମାନଙ୍କର ଶୈଳ
ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।
୩୬ ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ
ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।
୩୭ କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା,
କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
୩୮ ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ
କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ;
ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି
ଆପଣା କୋପ ଉତ୍ତେଜ କଲେ ନାହିଁ।
୩୯ ଆଉ, ସେମାନେ ଯେ ମାଂସମାତ୍ର ଓ
ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ।
୪୦ ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ
ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।
୪୧ ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ
ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।
୪୨ ସେମାନେ ତାହାଙ୍କର ହସ୍ତ ଓ
ଯେଉଁ ଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ
୪୩ ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ ଓ
ସୋୟନ-ପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ;
୪୪ ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ କରିବାରୁ
ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ ସ୍ମରଣ କଲେ ନାହିଁ।
୪୫ ସେ ସେମାନଙ୍କ ମଧ୍ୟକୁ ଦଂଶକ ଝିଙ୍କ ପଠାଇଲେ, ସେସବୁ ସେମାନଙ୍କୁ ଗ୍ରାସ କଲେ
ଓ ବେଙ୍ଗ ପଠାଇଲେ, ସେସବୁ ସେମାନଙ୍କୁ ବିନାଶ କଲେ।
୪୬ ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ
ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ।
୪୭ ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ
ହିମ ଦ୍ୱାରା ସେମାନଙ୍କ ଡିମ୍ବିରି ବୃକ୍ଷ ନଷ୍ଟ କଲେ।
୪୮ ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ
ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ।
୪୯ ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ
ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ।
୫୦ ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ,
ସେ ମୃତ୍ୟୁୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର
ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ;
୫୧ ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ,
ହାମ୍‍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ;
୫୨ ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ
ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ।
୫୩ ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ,
ତେଣୁ ସେମାନେ ଉଦ୍‍ବିଗ୍ନ ନୋହିଲେ,
ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା।
୫୪ ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ
ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ।
୫୫ ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ି ଦେଲେ
ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରି ଦେଲେ
ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ।
୫୬ ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ
ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ;
୫୭ ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ;
ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ।
୫୮ କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ।
ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ।
୫୯ ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ
ଇସ୍ରାଏଲକୁ ଅତିଶୟ ଘୃଣା କଲେ;
୬୦ ଏପରିକି, ସେ ଶୀଲୋସ୍ଥିତ ଆବାସ ଓ
ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ।
୬୧ ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ
ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।
୬୨ ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ
ଓ ଆପଣା ଅଧିକାର ପ୍ରତି କ୍ରୋଧ ହେଲେ।
୬୩ ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା
ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ* ବିବାହ-ଗୀତ ଅର୍ଥାତ୍ ବିବାହ ହେଲା ନାହିଁ।
୬୪ ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ
ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ।
୬୫ ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି,
ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।
୬୬ ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ;
ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।
୬୭ ଆହୁରି, ସେ ଯୋଷେଫର ବଂଶକୁ ବଂଶକୁ ତମ୍ବୁକୁ ଅଗ୍ରାହ୍ୟ କଲେ ଓ
ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ।
୬୮ ମାତ୍ର ଯିହୁଦା ଗୋଷ୍ଠୀକୁ,
ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
୬୯ ଆଉ, ସେ ଉଚ୍ଚ ଗଗନ ତୁଲ୍ୟ ଓ
ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ।
୭୦ ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ
ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।
୭୧ ସେ ଆପଣା ଲୋକ ଯାକୁବକୁ ଓ
ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।
୭୨ ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ
ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।

*୭୮:୬୩ ବିବାହ-ଗୀତ ଅର୍ଥାତ୍ ବିବାହ

୭୮:୬୭ ବଂଶକୁ ତମ୍ବୁକୁ