୧୦୧
ରାଜାଙ୍କ ପ୍ରତିଜ୍ଞା
ଦାଉଦଙ୍କର ଗୀତ।
 
୧ ମୁଁ ଦୟା ଓ ଶାସନ ବିଷୟ ଗାନ କରିବି।
ହେ ସଦାପ୍ରଭୁ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
୨ ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି;
ଆହା, ତୁମ୍ଭେ କେବେ ମୋ’ ନିକଟକୁ ଆସିବ ?
ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି।
୩ ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ;
ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ;
ତାହା ମୋ’ଠାରେ ଲିପ୍ତ ହେବ ନାହିଁ।
୪ କୁଟିଳ ଅନ୍ତଃକରଣ ମୋ’ ନିକଟରୁ ଦୂର ହେବ;
ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ।
୫ ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି;
ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।
୬ ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋ’ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ।
ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ।
୭ ଯେ ପ୍ରତାରଣା କରେ, ସେ ମୋ’ ଗୃହ ମଧ୍ୟରେ ବାସ କରିବ ନାହିଁ।
ଯେ ମିଥ୍ୟା କହେ, ସେ ମୋ’ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।
୮ ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା
ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।