୧୨୧
ପରମେଶ୍ୱର ଆମ ରକ୍ଷକ
ଆରୋହଣ ଗୀତ।
 
୧ ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି;
କେଉଁଠାରୁ ମୋହର ସାହାଯ୍ୟ ଆସିବ ?
୨ ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ,
ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।
୩ ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ;
ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।
୪ ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି,
ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।
୫ ସଦାପ୍ରଭୁ ତୁମ୍ଭର ରକ୍ଷକ;
ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।
୬ ଦିବସରେ ସୂର୍ଯ୍ୟ, କିଅବା
ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।
୭ ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ;
ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।
୮ ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର
ଓ ଭିତରେ ଆସିବାର ରକ୍ଷା କରିବେ।