୧୨୪
ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା
ଆରୋହଣ-ଗୀତ; ଦାଉଦଙ୍କ ରଚିତ।
 
୧ “ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ,”
ଇସ୍ରାଏଲ ଏବେ କହୁନ୍ତୁ;
୨ “ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ,
ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ;
୩ ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ;
୪ ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥା’ନ୍ତା,
ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା
୫ ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥା’ନ୍ତା।”
୬ ସଦାପ୍ରଭୁ ଧନ୍ୟ ହେଉନ୍ତୁ,
ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି।
୭ ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି;
ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ।
୮ ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ
ଆମ୍ଭମାନଙ୍କର ସାହାଯ୍ୟ ଥାଏ।