୧୩୯
ସର୍ବଜ୍ଞାତା ମଙ୍ଗଳମୟ ସଦାପ୍ରଭୁ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
୧ ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ
ଓ ମୋହର ପରିଚୟ ନେଇଅଛ।
୨ ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ,
ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ।
୩ ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ,
ଆଉ ମୋହର ସକଳ ଗତି ଜାଣୁଅଛ।
୪ କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ,
ଏପରି ଗୋଟିଏ କଥା ମୋ’ ଜିହ୍ୱାରେ ନାହିଁ।
୫ ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ
ଓ ମୋ’ ଉପରେ ଆପଣା ହସ୍ତ ରଖିଅଛ।
୬ ଏହି ପ୍ରକାର ଜ୍ଞାନ ମୋ’ ପ୍ରତି ଅତି ଆଶ୍ଚର୍ଯ୍ୟ;
ତାହା ଉଚ୍ଚ, ମୋ’ ବୋଧର ଅଗମ୍ୟ।
୭ ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି ?
ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି ?
୮ ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ।
ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ
୯ ଯଦି ମୁଁ ଅରୁଣର ପକ୍ଷ ଧରେ ଓ
ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ;
୧୦ ସେଠାରେ ହେଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ
ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ।
୧୧ ଯଦି ମୁଁ କହେ, “ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ କରିବ
ଓ ମୋ’ ଚତୁର୍ଦ୍ଦିଗସ୍ଥ ଆଲୁଅ ରାତ୍ରି ହେବ,”
୧୨ ତେବେ ଅନ୍ଧକାର ହିଁ ତୁମ୍ଭଠାରୁ ଲୁଚାଏ ନାହିଁ,
ବରଞ୍ଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ;
ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ।
୧୩ କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା;
ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ।
୧୪ ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ;
ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ;
ଏହା ମୁଁ ଭଲ ରୂପେ ଜାଣେ।
୧୫ ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ
ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।
୧୬ ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା
ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା,
ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।
୧୭ ହେ ପରମେଶ୍ୱର, ଆହୁରି ତୁମ୍ଭର ସଂକଳ୍ପସକଳ ମୋ’ ପ୍ରତି କିପରି ବହୁମୂଲ୍ୟ !
ତହିଁର ସଂଖ୍ୟା କିପରି ଅଧିକ !
୧୮ ମୁଁ ସେସବୁ ଗଣନା କରିବାକୁ ଗଲେ, ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ;
ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଥାଏ।
୧୯ ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ;
ଏହେତୁ ହେ ହତ୍ୟାକାରୀ ଲୋକମାନେ, ତୁମ୍ଭେମାନେ ମୋ’ ନିକଟରୁ ଦୂର ହୁଅ।
୨୦ କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ କଥା କହନ୍ତି
ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି।
୨୧ ହେ ସଦାପ୍ରଭୁ, ତୁମ୍ଭ ଘୃଣାକାରୀମାନଙ୍କୁ ମୁଁ କ’ଣ ଘୃଣା କରୁ ନାହିଁ ?
ଓ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଉଠନ୍ତି, ସେମାନଙ୍କ ପ୍ରତି ମୁଁ କ’ଣ ବିରକ୍ତ ହେଉ ନାହିଁ ?
୨୨ ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ;
ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ।
୨୩ ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ ମୋ’ ଅନ୍ତଃକରଣର ପରିଚୟ ନିଅ;
ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପସବୁ ଜ୍ଞାତ ହୁଅ;
୨୪ ଆଉ, ମୋ’ ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ,
ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ।