୧୪୦
ଆଶ୍ରୟ ଭିକ୍ଷା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
୧ ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର;
ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।
୨ ସେମାନେ ମନେ ମନେ କୁକଳ୍ପନା କରନ୍ତି;
ସେମାନେ ଯୁଦ୍ଧ କରିବାକୁ ପ୍ରତି ଦିନ ଏକତ୍ରିତ ହୁଅନ୍ତି।
୩ ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି;
ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]
୪ ହେ ସଦାପ୍ରଭୁ, ଦୁଷ୍ଟର ହସ୍ତରୁ ମୋତେ ରଖ;
ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର;
ସେମାନେ ବିପଥକୁ ମୋ’ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।
୫ ଅହଙ୍କାରୀମାନେ ଗୋପନରେ ମୋ’ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି।
ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି;
ସେମାନେ ମୋ’ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା]
୬ ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋହର ପରମେଶ୍ୱର;
ହେ ସଦାପ୍ରଭୁ, ମୋ’ ନିବେଦନର ରବରେ କର୍ଣ୍ଣପାତ କର।”
୭ ହେ ମୋ’ ପରିତ୍ରାଣର ବଳ ସ୍ୱରୂପ ପ୍ରଭୁ, ସଦାପ୍ରଭୁ,
ତୁମ୍ଭେ ଯୁଦ୍ଧର ଦିନରେ ମୋ’ ମସ୍ତକ ରକ୍ଷା କରିଅଛ।
୮ ହେ ସଦାପ୍ରଭୁ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ;
ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା]
୯ ଯେଉଁମାନେ ମୋତେ ଘେରିଅଛନ୍ତି,
ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।
୧୦ ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ।
ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ;
ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।
୧୧ ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ;
ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।
୧୨ ସଦାପ୍ରଭୁ ଦୁଃଖୀର ବିବାଦ ଓ
ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
୧୩ ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ;
ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।