୧୪୨
ସହାୟତା ପାଇଁ ପ୍ରାର୍ଥନା
ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା।
 
୧ ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ;
ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;
୨ ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ;
ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ।
୩ ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ
ତୁମ୍ଭେ ମୋହର ମାର୍ଗ ଜାଣିଲ।
ମୋ’ ଗମନ ପଥରେ ସେମାନେ ମୋ’ ପାଇଁ
ଗୋପନରେ ଫାନ୍ଦ ପାତିଅଛନ୍ତି।
୪ ମୋ’ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ;
ମୋତେ ଜାଣିବା ଲୋକ କେହି ନାହିଁ;
ମୋହର ଆଶ୍ରୟ ବିନଷ୍ଟ ହୋଇଅଛି;
ମୋ’ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।
୫ ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ;
ମୁଁ କହିଲି, “ତୁମ୍ଭେ ମୋହର ଆଶ୍ରୟ,
ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ।
୬ ମୋ’ କାକୂକ୍ତିରେ ମନୋଯୋଗ କର;
କାରଣ ମୁଁ ଅତି ଅଧୋନତ ହୋଇଅଛି;
ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର;
କାରଣ ସେମାନେ ମୋ’ ଅପେକ୍ଷା ବଳବାନ।
୭ କାରାଗାରରୁ ମୋ’ ପ୍ରାଣ ଉଦ୍ଧାର କର,
ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି;
ଧାର୍ମିକମାନେ ମୋତେ ବେଷ୍ଟନ କରିବେ;
କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।”