୧୪୬
ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ
୧ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର।
୨ ମୁଁ ବଞ୍ଚିଥିବାଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି;
ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସାଗାନ କରିବି।
୩ ତୁମ୍ଭେମାନେ ଅଧିପତିମାନଙ୍କ ଉପରେ,
କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ ସନ୍ତାନ ଉପରେ ନିର୍ଭର କର ନାହିଁ।
୪ ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ;
ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ।
୫ ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ,
ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ;
୬ ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର
ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ;
ସେ ସଦାକାଳ ସତ୍ୟ ପାଳନ କରନ୍ତି;
୭ ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି;
ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି;
ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।
୮ ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି;
ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି;
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
୯ ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି;
ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି;
ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।
୧୦ ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ,
ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।