ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ
୧ ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କ'ଣ ଜାଣ ନାହିଁ ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି । ୨ ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ । ୩ ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ । ୪ ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ । ୫ କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା, ୬ କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ ।
ମୋଶାଙ୍କ ବ୍ୟବସ୍ଥା ଓ ପାପ
୭ ତେବେ, ଆମ୍ଭେମାନେ କ'ଣ କହିବା ? ମୋଶାଙ୍କ ବ୍ୟବସ୍ଥା କ'ଣ ପାପ ? ତାହା କେବେ ହେଁ ନ ହେଉ । ବରଂ ପାପ କ'ଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି । ୮ କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋ'ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ମୋଶାଙ୍କ ବ୍ୟବସ୍ଥା ବିନା ପାପ ମୃତ । ୯ ଆଉ, ମୁଁ ଏକ ସମୟରେ ମୋଶାଙ୍କ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି; ୧୦ ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋ' ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା । ୧୧ କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା । ୧୨ ଅତଏବ, ମୋଶାଙ୍କ ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ । ୧୩ ତେବେ, ଯାହା ଉତ୍ତମ, ତାହା କି ମୋ' ପକ୍ଷରେ ମୃତ୍ୟୁଦାୟକ ହେଲା ? ତାହା କେବେ ହେଁ ନ ହେଉ । କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋ' ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ । ୧୪ ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ । ୧୫ କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ। ୧୬ କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୋଶାଙ୍କ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ । ୧୭ ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋ'ଠାରେ ବାସ କରୁଥିବା ପାପ ତାହା କରୁଅଛି । ୧୮ କାରଣ ମୋ'ଠାରେ, ଅର୍ଥାତ୍‍, ମୋ' ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ । ୧୯ କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ । ୨୦ କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ'ଠାରେ ବାସ କରୁଥିବା ପାପ ତାହା କରେ । ୨୧ ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ' ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ମୋଶାଙ୍କ ବ୍ୟବସ୍ଥା ମୁଁ ଦେଖୁଅଛି । ୨୨ କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାରେ ଆନନ୍ଦ କରେ, ୨୩ କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ମୋଶାଙ୍କ ବ୍ୟବସ୍ଥା ଦେଖେ, ତାହା ମୋହର ମନର ମୋଶାଙ୍କ ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ମୋଶାଙ୍କ ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ । ୨୪ ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ? ୨୫ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ । ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ମୋଶାଙ୍କ ବ୍ୟବସ୍ଥାର ଦାସ ଅଟେ ।