୧୩
ଶାସନକର୍ତ୍ତାଙ୍କ ପ୍ରତି ଆନୁଗତ୍ୟ
୧ ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ । ୨ ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ । ୩ କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର ? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, ୪ କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ୱରଙ୍କ ସେବକ । କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ଼୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ୱରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି । ୫ ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ । ୬ ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ୱରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି । ୭ ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍‍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍‍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର ।
ପ୍ରେମ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାର ସଫଳତା
୮ ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ମୋଶାଙ୍କ ବ୍ୟବସ୍ଥା ସଫଳ କରିଅଛି । ୯ କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ୧୦ ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ମୋଶାଙ୍କ ବ୍ୟବସ୍ଥା ସଫଳ କରେ । ୧୧ ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ । ୧୨ ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ । ୧୩ ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ । ୧୪ ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ ।