ବର
୧ ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି।
ଅନ୍ୟମାନେ
ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର।
ପ୍ରିୟତମଙ୍କୁ କନ୍ୟାର ଅନ୍ୱେଷଣ
୨ ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋ’ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋ’ ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।” ୩ ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି ? ମୁଁ ଆପଣା ପାଦ ଧୋଇଅଛି; କିପରି ପୁନର୍ବାର ତାହା ମଳିନ କରିବି ? ୪ ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା। ୫ ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି; କିଳିଣୀର ବେଣ୍ଟ ଉପରେ ମୋ’ ହସ୍ତରୁ ଗନ୍ଧରସ, ମୋ’ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ୬ ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। ୭ ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର-ରକ୍ଷକମାନେ ମୋ’ଠାରୁ ମୋହର ଆଚ୍ଛାଦନ-ବସ୍ତ୍ର କାଢ଼ି ନେଇଗଲେ। ୮ ହେ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ।
ଅନ୍ୟମାନେ
୯ ହେ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ ?
ପ୍ରିୟତମଙ୍କୁ କନ୍ୟାର ପ୍ରଶଂସା
୧୦ ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ। ୧୧ ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ। ୧୨ ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ; ଦୁଗ୍ଧରେ ଧୌତ ଓ ଯଥା ସ୍ଥାନରେ ସ୍ଥାପିତ। ୧୩ ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। ୧୪ ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ; ତାଙ୍କ ଶରୀର ନୀଳକାନ୍ତ ମଣି-ମଣ୍ଡିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ। ୧୫ ତାଙ୍କ ଗୋଡ଼ ଦୁଇଟି ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗୀରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ; ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। ୧୬ ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ; ହଁ, ସେ ସର୍ବତୋଭାବେ ମନୋହର। ହେ ଯିରୂଶାଲମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା।