୧ ଆହା, ଯେ ମୋ’ ମାତାଙ୍କର ସ୍ତନ୍ୟ ପାନ କରିଅଛି, ଏପରି ମୋ’ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ ! ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି; ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ। ୨ ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି, ସେ ମୋତେ ଶିକ୍ଷା ଦିଅନ୍ତେ; ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ, ମୋହର ଡାଳିମ୍ବରସ ପାନ କରାନ୍ତି। ୩ ତାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ। ୪ ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
ଅନ୍ୟମାନେ
୫ ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
କନ୍ୟା
୬ ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। ୭ ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
ଅନ୍ୟମାନେ
୮ ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇ ନାହିଁ; ଲୋକେ ଆମ୍ଭମାନଙ୍କ ଭଗିନୀକି ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କଅଣ କରିବା ? ୯ ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।
କନ୍ୟା
୧୦ ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି। ୧୧ ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା। ୧୨ ମୋହର ଦ୍ରାକ୍ଷାକ୍ଷେତ୍ର ମୋ’ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।
ବର
୧୩ ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
କନ୍ୟା
୧୪ ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।