4
ଜ୍ଞାନର ଉପକାରିତା 
 1 ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ 
ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର। 
 2 ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, 
ମୋହର ଆଦେଶ ପରିତ୍ୟାଗ କର ନାହିଁ। 
 3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, 
ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି। 
 4 ପିତା ମୋତେ ଶିକ୍ଷା ଦେଇ କହିଲେ, 
“ତୁମ୍ଭ ମନରେ ମୋହର କଥାସବୁ ରଖ, 
ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ। 
 5 ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; 
ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। 
 6 ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; 
ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ। 
 7 ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; 
ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର। 
 8 ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; 
ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ। 
 9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; 
ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।” 
 10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ; 
ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ। 
 11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, 
ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି। 
 12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ; 
ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ। 
 13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ିଦିଅ ନାହିଁ; ତାକୁ ରଖ; 
କାରଣ ତାହା ତୁମ୍ଭର ଜୀବନ। 
 14 କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ 
ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ। 
 15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; 
ତହିଁରୁ ବିମୁଖ ହୋଇ ଚାଲିଯାଅ। 
 16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, 
ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ। 
 17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି; 
ପୁଣି, ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି। 
 18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, 
ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ। 
 19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; 
ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ। 
 20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର; 
ମୋʼ ବାକ୍ୟରେ କର୍ଣ୍ଣ ଡେର। 
 21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; 
ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ। 
 22 ଯେହେତୁ ତାହା ଯେଉଁମାନେ ପାଆନ୍ତି, 
ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ। 
 23 ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; 
ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ। 
 24 ଆପଣାଠାରୁ କୁଟିଳ ମୁଖ ଦୂର କର 
ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ। 
 25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ 
ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ। 
 26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ 
ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। 
 27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, 
ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।