5
ବ୍ୟଭିଚାର ବିରୁଦ୍ଧରେ ଚେତାବନୀ 
 1 ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; 
ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର; 
 2 ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ 
ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରି ପାରିବ। 
 3 ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, 
ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ। 
 4 କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, 
ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ। 
 5 ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ; 
ତାହାର ପାଦ ସିଧା କବରରେ ପଡ଼େ; 
 6 ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ; 
ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ। 
 7 ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ 
ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। 
 8 ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ 
ଏବଂ ତାହାର ଗୃହର ଦ୍ୱାର ନିକଟକୁ ଯାଅ ନାହିଁ। 
 9 କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ 
ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ; 
 10 କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ 
ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ; 
 11 ଆଉ ତୁମ୍ଭ ଶେଷ ଅବସ୍ଥାରେ 
ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ, 
ତୁମ୍ଭେ କେଜାଣି ବିଳାପ କରିବ, 
 12 ଆଉ କହିବ, “ମୁଁ ଉପଦେଶ କିପରି ଘୃଣା କଲି! 
ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା! 
 13 ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ 
ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ, 
ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ, 
 14 ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି।” 
 15 ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର 
ଓ ନିଜ କୂପରୁ ସ୍ରୋତଜଳ ପାନ କର। 
 16 ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? 
ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ? 
 17 ତାହା କେବଳ ତୁମ୍ଭର ହେଉ, 
ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। 
 18 ତୁମ୍ଭର ନିର୍ଝର ଧନ୍ୟ ହେଉ; 
ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ* ଯୌବନ କାଳର ଭାର୍ଯ୍ୟାଠାରେ ଯୌବନ ଭାର୍ଯ୍ୟାଠାରେ ଆମୋଦ କର। 
 19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, 
ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; 
ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 
 20 ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? 
ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? 
 21 ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ 
ଓ ସେ ତାହାର ସବୁ ପଥ ସମାନ କରନ୍ତି। 
 22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, 
ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ। 
 23 ସେ ଉପଦେଶ ଅଭାବରେ ମରିଯିବ 
ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ।