14
ମଣିଷର ଦୁଷ୍ଟତା 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
 1 ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।” 
ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; 
ସୁକର୍ମକାରୀ କେହି ନାହିଁ। 
 2 ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି 
ଅଛି କି ନାହିଁ, ଏହା ଦେଖିବା ପାଇଁ 
ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି। 
 3 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; 
ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ। 
 4 ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ? 
ସେମାନେ ମୋʼ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି 
ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। 
 5 ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ; 
କାରଣ ପରମେଶ୍ୱର ଧାର୍ମିକ-ବଂଶ ମଧ୍ୟରେ ଅଛନ୍ତି। 
 6 ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, 
ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି। 
 7 ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ! 
ଯଦି ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣନ୍ତି 
ତେବେ ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ।