15
ସଦାପ୍ରଭୁଙ୍କ ଆବଶ୍ୟକତା 
ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ? 
ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ? 
 2 ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା 
ଅନ୍ତଃକରଣରେ ସତ୍ୟ କହେ। 
 3 ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, 
ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, 
କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ। 
 4 ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; 
ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। 
ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ। 
 5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, 
କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। 
ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚା ଯିବ ନାହିଁ।