19
ସୃଷ୍ଟିରେ ସଦାପ୍ରଭୁଙ୍କ ମହିମା 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
 1 ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; 
ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। 
 2 ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ 
ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। 
 3 କୌଣସି ବାକ୍ୟ କି ଭାଷା ନ ଥାଏ; 
ସେମାନଙ୍କ ରବ ଶୁଣାଯାଇ ନ ପାରେ। 
 4 ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ 
ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। 
ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି, 
 5 ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ 
ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ। 
 6 ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ 
ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ; 
ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ। 
ସଦାପ୍ରଭୁଙ୍କ ବ୍ୟବସ୍ଥା 
 7 ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; 
ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ 
 8 ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; 
ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। 
 9 ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। 
ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ। 
 10 ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; 
ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ। 
 11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; 
ତହିଁର ପ୍ରତିପାଳନରେ ମହାଫଳ ଥାଏ। 
 12 ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ? 
ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର। 
 13 ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ; 
ତାହାସବୁ ମୋʼ ଉପରେ କର୍ତ୍ତୃତ୍ୱ ନ କରୁ; 
ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି। 
 14 ହେ ସଦାପ୍ରଭୋ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, 
ତୁମ୍ଭ ଦୃଷ୍ଟିରେ ମୋʼ ମୁଖର ବାକ୍ୟ 
ଓ ମୋʼ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ।