21
ଜୟ ଗାନ 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ 
ଓ ତୁମ୍ଭ ପରିତ୍ରାଣରେ* ପରିତ୍ରାଣରେ ଅର୍ଥାତ୍ ଜୟରେ ସେ କେଡ଼େ ମହାନନ୍ଦ କରିବେ! 
 2 ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, 
ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ। 
[ସେଲା]
  3 କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; 
ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ। 
 4 ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, 
ତୁମ୍ଭେ ତାହା ତାଙ୍କୁ ଦେଲ; 
ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ। 
 5 ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; 
ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ; 
 6 କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; 
ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ। 
 7 କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, 
ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ। 
 8 ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; 
ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ। 
 9 ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟି ତୁଲ୍ୟ କରିବ। 
ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, 
ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ। 
 10 ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ 
ଓ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ। 
 11 କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; 
ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରିପାରନ୍ତି ନାହିଁ। 
 12 ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ, 
ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ। 
 13 ହେ ସଦାପ୍ରଭୋ, ନିଜ ବଳରେ ଉନ୍ନତ ହୁଅ; 
ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।