27
ସ୍ତୁତି ବନ୍ଦନା 
ଦାଉଦଙ୍କର ଗୀତ। 
 1 ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; 
ମୁଁ କାହାକୁ ଭୟ କରିବି? 
ସଦାପ୍ରଭୁ ମୋʼ ଜୀବନର ବଳ; 
ମୁଁ କାହାଠାରୁ ଭୀତ ହେବି? 
 2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ 
ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ। 
 3 ସୈନ୍ୟଦଳ ମୋʼ ବିରୁଦ୍ଧରେ ଛାଉଣି କଲେ ହେଁ 
ମୋହର ଅନ୍ତଃକରଣ ଭୟ କରିବ ନାହିଁ; 
ଯଦି ଯୁଦ୍ଧ ମୋʼ ବିରୁଦ୍ଧରେ ଉଠେ, 
ତେବେ ମଧ୍ୟ ମୁଁ ସାହସିକ ହେବି। 
 4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ 
ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ 
ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, 
ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, 
ତାହା ହିଁ ମୁଁ ଅନ୍ୱେଷଣ କରିବି। 
 5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; 
ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; 
ସେ ମୋତେ ଶୈଳ ଉପରକୁ ଉଠାଇବେ। 
 6 ଏଣୁ ଏବେ ମୋʼ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; 
ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; 
ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 
 7 ହେ ସଦାପ୍ରଭୋ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; 
ମୋʼ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ। 
 8 ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,” 
ମୋʼ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୋ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।” 
 9 ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; 
କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; 
ତୁମ୍ଭେ ମୋହର ସହାୟ ହୋଇଅଛ; 
ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ। 
 10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, 
ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। 
 11 ହେ ସଦାପ୍ରଭୋ, ମୋହର ଶତ୍ରୁଗଣ ସକାଶୁ 
ମୋତେ ତୁମ୍ଭର ମାର୍ଗ ଶିଖାଅ; 
ଓ ସରଳ ପଥରେ ମୋତେ କଢ଼ାଇ ନିଅ। 
 12 ମୋʼ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ; 
କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ 
ମାରିବା ଲୋକେ ମୋʼ ବିରୁଦ୍ଧରେ ଉଠିଅଛନ୍ତି। 
 13 ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି। 
 14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; 
ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; 
ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।