28
ସହାୟତା ପାଇଁ ପ୍ରାର୍ଥନା 
ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; ହେ ମୋହର ଶୈଳ, ମୋʼ ପ୍ରତି ନୀରବ ହୁଅ ନାହିଁ; 
କେଜାଣି ତୁମ୍ଭେ ମୋʼ ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି। 
 2 ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ, 
ତୁମ୍ଭ ମହାପବିତ୍ର ସ୍ଥାନ ଆଡ଼େ ଆପଣା ହସ୍ତ ଟେକିବା ବେଳେ, 
ମୋʼ ନିବେଦନର ରବ ଶ୍ରବଣ କର। 
 3 ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; 
ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, 
ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ। 
 4 ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; 
ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ। 
 5 ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ 
ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ। 
 6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, 
କାରଣ ସେ ମୋʼ ନିବେଦନର ରବ ଶୁଣିଅଛନ୍ତି। 
 7 ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; 
ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; 
ଏହେତୁ ମୋʼ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; 
ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି। 
 8 ସଦାପ୍ରଭୁ ସେମାନଙ୍କର ବଳ 
ଓ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି। 
 9 ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; 
ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।