29
ସଦାପ୍ରଭୁଙ୍କ ରବର ପରାକ୍ରମ 
ଦାଉଦଙ୍କର ଗୀତ। 
 1 ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, 
ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର। 
 2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; 
ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର। 
 3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; 
ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, 
ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ। 
 4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; 
ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ। 
 5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; 
ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି। 
 6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; 
ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି। 
 7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ। 
 8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; 
ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି। 
 9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ 
ଓ ବନସମୂହକୁ ବିବସ୍ତ୍ର କରେ; 
ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ “ଗୌରବ, ଗୌରବ” ବୋଲି କହନ୍ତି। 
 10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; 
ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି। 
 11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; 
ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।